ରାତ୍ରିର ପଣତେ ନିଦ୍ରା ଚାଲି ଯାଏ


ଅସରନ୍ତି ସ୍ୱପ୍ନ ସଙ୍ଗେ


ବାସ୍ତବ ଲାଗଇ ସପନ କାହାଣୀ


ନିଦଟି କାହିଁକି ଭାଙ୍ଗେ ।୧




ନୀରବତା ସ୍ବପ୍ନ ଶୂନ୍ୟରେ ଭାସଇ


ନଥାଏ ପୂର୍ଣ୍ଣତା ତାର


ଆଶା ନିରାଶାର କଳ୍ପନା ଭିତରେ


ଅନେକ ସ୍ମୃତି ସମ୍ଭାର । ୨




ଜୀବନ ଚରିତ୍ର ସ୍ମୃତି ପାଣ୍ଡୁଲିପି


ଅକୁହା ନିର୍ଯ୍ୟାସ ଚିତ୍ର


ମନ କାଦମ୍ବିନୀ ସ୍ବପ୍ନ ଦେଖୁ ଥାଏ


ସ୍ୱର୍ଗ ବନ ପାରିଜାତ । ୩




ଅବୁଝା ରାତିରେ ଅସ୍ତିତ୍ବ ହଜଇ


ମନ ଭ୍ରମେ ଅବିରତ


ସୁଖ ଦୁଃଖ ଭରା ସପନ ପସରା


ନିଦ୍ରା ସଙ୍ଗେ ବସେ ମିତ ।୪




ପ୍ରତାରଣା ବନ୍ଧୁ ହୋଇ ଯାଏ କେବେ


ବେଦନା ତାତିରେ ଥାଇ


ସ୍ୱପ୍ନ ସ୍ମୃତି ଦୁଇ ଜୀବନ ପୁସ୍ତକ


କାଳ ବକ୍ଷେ ଶେଷ ହୋଇ । ୫




ପରସ୍ପର ପରିପୁରକ ଦୁହେଁ'ତ


ଆଗ ପଛ ହସ୍ତ ଛନ୍ଦି


ଜଣଙ୍କ ବିନା ଜଣେ ଅଧୁରା ସେତ


ଜୀବନ ଚରିତ୍ରେ ବନ୍ଦୀ । ୬




ନିଦରେ ତନ୍ଦ୍ରାରେ ସ୍ବପ୍ନ ଖେଳୁ ଥାଏ


ରାତି ଶେଷେ ସ୍ମୃତି ହୋଇ


ଆୟୁର ପୃଷ୍ଠାଟି ସରି ଗଲା ପରେ


ଅନ୍ତିମ ନିଦ୍ରାରେ ଶୋଇ। ୭




ନାମ:ସ୍ନିଗ୍ଧା ସାମନ୍ତରାୟ,


ଚୂନଭାଟି,ଗୋପାଳ ଗାଁ, ବାଲେଶ୍ବର